46f581dcf0d80cf7581ba6592af979bf022115dc

ଗୁରୁ ନାନକ ଦେବଙ୍କ ଜୀବନୀ : Biography of Guru Nanak in Odia

Guru Nanak Dev Ji : Public discourse of his faith and religion
ନାମ : ନାନକ (Nanak)

ପ୍ରସିଦ୍ଧନାମ : ଶ୍ରୀ ଗୁରୁ ନାନକ ଦେବଜୀ (Shri Guru Nanak Dev Ji)

ଜନ୍ମ : ଗୁରୁ ନାନକ ଦିବସ୤ ୧୫ ଅପ୍ରେଲ, ୧୪୬୯୤ ଗ୍ରାମ ତଲବଣ୍ଡୀ, ଶୈଖୁପୁରା (ବର୍ତ୍ତମାନ ନନକାନା ସାହିବ୍, ପଞ୍ଜାବ, ପାକିସ୍ତାନରେ ଅଛି)୤

ମୃତ୍ୟୁ : ୨୨ ସେପ୍ଟେମ୍ବର, ୧୫୩୯, କର୍ତ୍ତାରପୁର, ମୋଗଲ୍ ସାମ୍ରାଜ୍ୟ, ପାକିସ୍ତାନ

ମହାନ କାର୍ଯ୍ୟ : ବିଶ୍ବରେ ସାମ୍ପ୍ରଦାୟିକ ଏକତା, ଶାନ୍ତି ଏବଂ ସଦ୍‌ଭାବର ଜ୍ଞାନକୁ ବୃଦ୍ଧି କରିବା ଏବଂ ଶିଖ୍ ସମ୍ପ୍ରଦାୟର ପ୍ରତିଷ୍ଠା କରିବା୤

ଗୁରୁ ନାନକ ଦେବଙ୍କ ପ୍ରାରମ୍ଭିକ ଜୀବନ (Early Life of Guru Nanak Dev Ji)

ପାକିସ୍ତାନର ପ୍ରମୁଖ ସହର ଲାହୋରର ପଶ୍ଚିମରେ ୬୫ କିମି ଦୂରରେ ପଡ଼େ ଶେଇଖୁପୁରା ଜିଲ୍ଲା, ସେହି ଜିଲ୍ଲାର ତଲବଣ୍ଡୀ ଗ୍ରାମରେ ୧୫ ଅପ୍ରେଲ ୧୪୬୯ ମସିହାରେ ଗୁରୁ ନାନକ ଦେବଙ୍କ ଜନ୍ମ ହୁଏ୤ ତାଙ୍କ ପିତା କାଳୁଚନ୍ଦ୍ ବେଦୀ ଏବଂ ମାଆ ତ୍ରିପତା ତାଙ୍କୁ ନାନକ ବୋଲି ନାମ ଦିଅନ୍ତି୤ ତାଙ୍କ ବାପା ସ୍ଥାନୀୟ ରାଜସ୍ବ ପ୍ରଶାସନ ବିଭାଗରେ ଅଧିକାରୀ ଥିଲେ୤ ନିଜ ବାଲ୍ୟକାଳରେ ସେ ଅନେକ ପ୍ରାଦେଶିକ ଭାଷା ଯଥା ଆରବୀ ଓ ଫାର୍ସୀ ଆଦି ଶିଖିଲେ୤ ୧୪୮୭ ମସିହାରେ ସେ ବିବାହ କରିଥିଲେ, ୧୪୯୧ ଏବଂ ୧୪୯୬ ମସିହାରେ ତାଙ୍କର ଦୁଇ ପୁତ୍ର ଜନ୍ମ ନେଇଥିଲେ୤ ୧୪୮୫ ମସିହାରେ ନିଜ ଭାଇ ଏବଂ ଭାଉଜଙ୍କ ପ୍ରୋତ୍ସାହନରେ ସେ ଦୌଲତ୍ ଖାନ୍ ଲୋଦୀଙ୍କ ଷ୍ଟୋରରେ ଅଧିକାରୀ ଭାବରେ ଯୋଗ ଦେଇଥିଲେ, ଯେ ସୁଲ୍‌ତାନପୁରରେ ମୁସଲମାନ ମାନଙ୍କ ଶାସକ ଥିଲେ୤ ସେଠାରେ ସେ ଜଣେ ମୁସଲମାନ କବି ମିରାସୀଙ୍କ ସହ ସାକ୍ଷାତ କରିଥିଲେ୤

ବର୍ଷ ୧୪୯୬ରେ ସେ ପ୍ରଥମ ବାଣୀ ଦେଇଥିଲେ, ଯେଉଁଥିରେ ସେ କହିଥିଲେ - ‘‘ନା କେହି ହିନ୍ଦୁ ନା କେହି ମୁସଲମାନ’’ ଆଉ କହିଥିଲେ ଯେ ଏହା ଏକ ମହତ୍ତ୍ବପୂର୍ଣ୍ଣ ଘୋଷଣା ଯାହା ନା କେବଳ ମନୁଷ୍ୟର ଭାତୃତ୍ବଭାବ ଏବଂ ପରମେଶ୍ବରଙ୍କ ପୁତୃତ୍ବର ଘୋଷଣା, ପରନ୍ତୁ ଏହା ସ୍ପଷ୍ଟ ଯେ ମନୁଃୟର ପ୍ରାଥମିକ ରୁଚି କୌଣସି ପ୍ରକାରର ଆଧ୍ୟାତ୍ମିକ ସିଦ୍ଧାନ୍ତରେ ନାହିଁ, ତାହା କେବଳ ମନୁଷ୍ୟ ଏବଂ ତାହାର ଭାଗ୍ୟରେ ଥାଏ୤ ଏହାର ଅର୍ଥ ହେଉଛି ନିଜ ପଡ଼ୋଶୀଙ୍କୁ ନିଜର ପରି ସ୍ନେହ ଏବଂ ଆଦର କର୤

ଗୁରୁ ନାନକ ଦେବଜୀଙ୍କ ମିଶନ୍‌ର କାହାଣୀ (Mission Story of Guru Nanak Ji)

ଗୁରୁ ନାନକ ନିଜ ମିଶନର ଆରମ୍ଭ ମରଦାନା ସହିତ ମିଶି କରିଥିଲେ୤ ନିଜର ଏହି ସନ୍ଦେଶ ସହ ସେ ଦୁର୍ବଳ ଏବଂ ଅସହାୟଙ୍କ ସହାୟତା ପାଇଁ ଯୋରଦାର ପ୍ରଚାର କରିଥିଲେ୤ ଏହା ସହିତ ସେ ଜାତିଭେଦ, ମୂର୍ତ୍ତିପୂଜା ଏବଂ ଛଦ୍ମ ଧାର୍ମିକ ବିଶ୍ବାସ ବିରୁଦ୍ଧରେ ପ୍ରଚାର କରିଥିଲେ୤

ସେ ନିଜର ସିଦ୍ଧାନ୍ତ ଏବଂ ନିୟମ ଆଦିର ପ୍ରଚାର ନିମନ୍ତେ ନିଜ ଘର ତ୍ୟାଗ କରିଥିଲେ ଏବଂ ଜଣେ ସନ୍ୟାସୀ ଭାବରେ ରହିଥିଲେ୤ ସେ ହିନ୍ଦୁ ଏବଂ ମୁସଲମାନ ଧର୍ମର ମୂଳତତ୍ତ୍ବକୁ ସମ୍ମିଳିତ କରି ଏକ ନୂତନ ଧର୍ମର ସ୍ଥାପନା କରିଥିଲେ ଯାହା ପରେ ଯାଇ ଶିଖ ଧର୍ମ ଭାବରେ ପ୍ରସିଦ୍ଧି ଲାଭ କରିଥିଲା୤

ସେ ଭାରତରେ ନିଜଦ୍ବାରା ସ୍ଥାପିତ ଧର୍ମର ପ୍ରଚାର ପାଇଁ ଅନେକ ସ୍ଥାନ ଭ୍ରମଣ କରିଥିଲେ୤

ଥରେ ସେ ଗଙ୍ଗାନଦୀ କୂଳରେ ଠିଆ ହୋଇଥିଲେ, ସେ ଦେଖିଲେ ଯେ କିଛି ବ୍ୟକ୍ତି ଗଙ୍ଗାରେ ବୁଡ଼ିରହି ହାତରେ ଜଳ ଧରି ପୁର୍ବଦିଗକୁ ମୁହଁ କରି ନିଜ ପୂର୍ବଜଙ୍କ ଉଦ୍ଦେଶ୍ୟରେ ତର୍ପଣ କରୁଥିଲେ୤ ନାନକ ଦେବ ମଧ୍ୟ ପାଣିରେ ପ୍ରବେଶ କରି ସେମିତି ଦୁଇ ହାତର ଆଞ୍ଜୁଳିରେ ପାଣି ନେଇ ନିଜ ରାଜ୍ୟ ପଞ୍ଜାବ ଦିଗକୁ ମୁହଁକରି ତର୍ପଣ କରିଲେ୤ ଅନେକ ବ୍ୟକ୍ତି ତାଙ୍କର ଏତାଦୃଶ କାର୍ଯ୍ୟଦେଖି ବିରକ୍ତ ଭାବ ପ୍ରକଟ କରି କହିଲେ, ତୁମେ ଏମିତି କାହିଁକି କରୁଛ ? ସେ ଅତି ଶାଳୀନତାର ସହ ଉତ୍ତର ଦେଲେ, ମୁଁ ନିଜ ରାଜ୍ୟ ପଞ୍ଜାବ ଉଦ୍ଦେଶ୍ୟରେ ତର୍ପଣ କରୁଛି୤ ଯଦି ତୁମେ ଦେଉଥିବା ପାଣି ତୁମ ପୂର୍ବଜ ମାନଙ୍କ ନିକଟକୁ ଯାଇ ପାରିବ ତା ହେଲେ ମୁଁ ଦେଉଥିବା ପାଣି ପଞ୍ଜାବ ପହଞ୍ଚିବ ନାହିଁ କାହିଁକି ? ସେମିତିରେ ବି ପଞ୍ଜାବ ସ୍ବର୍ଗଠାରୁ ନିକଟରେ ଅଛି୤

ସମଗ୍ର ଭାରତବର୍ଷରେ ସେ ନିଜ ଜ୍ଞାନର ବଣ୍ଟନ କରିବାପରେ ମକ୍କା ଓ ମଦିନା ଭ୍ରମଣରେ ଯାଇଥିଲେ୤ ସେଠାରେ ମଧ୍ୟ ସେ ନିଜର ବୁଦ୍ଧି ଏବଂ ଧାର୍ମିକ ଦୃଷ୍ଟିଭଙ୍ଗୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ୤

ଯେତେବେଳେ ଗୁରୁ ନାନକ ମାତ୍ର ବାର ବର୍ଷର ବାଳକଟିଏ ଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ୨୦ ଟଙ୍କା ଦେଇ ବ୍ୟାପାର କରିବାପାଇଁ ପ୍ରୋତ୍ସାହିତ କରିଲେ୤ ସେ ଚାହୁଁଥିଲେ ଏହାଦ୍ବାରା ନାନକଙ୍କ ମନରେ ବ୍ୟବସାୟ ପ୍ରତି ଆଦର ବୃଦ୍ଧି ହେଉ୤ କିନ୍ତୁ ଗୁରୁ ନାନକ ସେହି ଟଙ୍କାରେ ଗରୀବ ଅସହାୟ ତଥା ସାଧୁମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଦେଲେ୤ ଯେତେବେଳେ ତାଙ୍କ ବାପା ସେହି କୋଡ଼ିଏ ଟଙ୍କା କଣ ହେଲା ବୋଲି ପ୍ରଶ୍ନ କରିଲେ, ସେ ସରଳତାର ସହ ଉତ୍ତର ଦେଲେ ଯେ ସେ ସଚ୍ଚୋଟତାର ସହ ବ୍ୟାପାର କରିଛନ୍ତି୤ ଯେଉଁ ସ୍ଥାନରେ ସେ ସାଧୁ ତଥା ଅସହାୟ ମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲେ ସେହି ସ୍ଥାନରେ ସଚ୍ଚା ସୌଦା ନାମକ ଏକ ଗୁରୁଦ୍ବାରା ନିର୍ମାଣ କରାଗଲା୤

ସେ ଦୀର୍ଘ ପଚିଶିବର୍ଷ ଭ୍ରମଣ କରିବାପରେ ପଞ୍ଜାବର କର୍ତାରପୁର ନାମକ ଏକ ଗ୍ରାମର ଜଣେ ସାଧାରଣ କୃଷକ ଭାବରେ ରହିବାକୁ ଲାଗିଲେ ଏବଂ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା୤ ଭାଇ ଗୁରୁଦାସ ଯିଏ ଗୁରୁନାନକଙ୍କ ମୃତ୍ୟୁର ୧୨ ବର୍ଷପରେ ଜନ୍ମ ହୋଇଥିଲେ ସେ ବାଳୁତକାଳୁ ହିଁ ଶିଖ ମିଶନ ସହ ସଂଶ୍ଳିଷ୍ଟ ହୋଇଥିଲେ୤ ତାଙ୍କୁ ଶିଖ ଗୁରୁମାନଙ୍କ ପ୍ରମୁଖ ବୋଲି ନିର୍ବାଚିତ କରାଗଲା୤ ସେ ହିଁ ଭିନ୍ନ ଭିନ୍ନ ସ୍ଥାନରେ ଶିଖ୍ ମାନଙ୍କ ପାଇଁ ବସତି ସ୍ଥାପନ କରିଥିଲେ୤ ଏବଂ ନିଜ ବୈଠକ ପାଇଁ ସଭା ନିର୍ମାଣ କରିଲେ ଯାହା ଧର୍ମଶାଳା ନାମରେ ଜଣାଯାଏ୤ ଆଜିର ଦିନରେ ଏହି ସବୁ ଧର୍ମଶାଳାରେ ଶିଖମାନେ ଅସହାୟ ଏବଂ ଗରୀବମାନଙ୍କୁ ମାଗଣାରେ ଭୋଜନ ପ୍ରଦାନ କରନ୍ତି୤

ଶ୍ରୀ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ କିଛି ପ୍ରମୁଖ ଗୁରୁଦ୍ବାରା ସାହିବ

୧. ଗୁରୁଦ୍ବାରା କନ୍ଧ ସାହିବ -  ବଟାଲା(ଗୁରୁଦାସପୁର), ପଞ୍ଜାବ - ଗୁରୁନାନକ ଦେବ ୧୮ ବର୍ଷ ବୟସରେ ଏହି ସ୍ଥାନରେ ସୁଲକ୍ଷଣା ଦେବୀଙ୍କ ସହ ବିବାହରେ ଆବଦ୍ଧ ହୋଇଥିଲେ୤ ଗୁରୁନାନକଙ୍କ ବିବାହ ବାର୍ଷିକୀରେ ଏଠାରେ ମହାସମାରୋହ ପାଳିତ ହୁଏ୤

୨. ଗୁରୁଦ୍ବାରା ହାଟ୍ ସାହିବ - ସୁଲ୍‌ତାନପୁର୍ ଲୋଦୀ (କପୁରଥଲା), ଗୁରୁ ନାନକ ନିଜ ଭିଣୋଇ ଜୟରାମଙ୍କ ମାଧ୍ୟମରେ ସୁଲତାନ୍‌ପୁରର ନବାବଙ୍କ ଶାହୀ ଭଣ୍ଡାରର ନିରୀକ୍ଷକ ଭାବରେ ଚାକିରୀ ଆରମ୍ଭ କରିଥିଲେ୤ ନବାବ ନାନକଙ୍କ ଦ୍ବାରା ପ୍ରଭାବିତ ହୋଇ ତାଙ୍କୁ ଶୀଘ୍ର ପ୍ରମୁଖ ନିରୀକ୍ଷକ ଭାବରେ ପଦୋନ୍ନତି ଦେଇଥିଲେ୤ ଏହି ସ୍ଥାନରୁ ନାନକଙ୍କୁ ‘ତେରା’ ଶବ୍ଦ ମାଧ୍ୟମରେ ନିଜ ଲକ୍ଷ୍ୟର ଆଭାସ ମିଳିଥିଲା୤

୩. ଗୁରୁଦ୍ବାରା ଗୁରୁ କା ବାଗ୍ - ସୁଲ୍‌ତାନପୁର ଲୋଦୀ (କପୁରଥାଲା), ଏଠାରେ ଗୁରୁ ନାନକ ଦେବଙ୍କ ଘର ଥିଲା, ଯେଉଁଠାରେ ତାଙ୍କର ଦୁଇ ପୁତ୍ର ବାବା ଶ୍ରୀଚନ୍ଦ ଏବଂ ବାବା ଲକ୍ଷ୍ମୀଦାସଙ୍କର ଜନ୍ମ ହୋଇଥିଲା୤

୪. ଗୁରୁଦ୍ବାରା କୋଠି ସାହିବ - ସୁଲ୍‌ତାନପୁର ଲୋଦୀ (କପୁରଥାଲା), ନବାବ୍ ଦୌଲତଖାନ୍ ଲୋଦୀ ନିଜ ଭଣ୍ଡାରର ହିସାବ ବହିରେ ଭୂଲ ଥିବା ଦର୍ଶାଇ ନାନକଙ୍କୁ ଜେଲ ପଠାଇ ଦେଇଥିଲେ୤ କିନ୍ତୁ ଯେତେବେଳେ ନବାବଙ୍କୁ ନିଜ ଭୂଲର ଖବର ମିଳିଲା ସେତେବେଳେ ସେ ତୁରନ୍ତ ନାନକଙ୍କୁ ଜେଲରୁ ମୁକୁଳାଇଥିଲେ ଏବଂ ସେହି ପ୍ରାନ୍ତର ପ୍ରଧାନମନ୍ତ୍ରୀ ପଦବୀ ପ୍ରଦାନ କରିଥିଲେ, କିନ୍ତୁ ନାନକ ତାଙ୍କର ଏହି ପ୍ରସ୍ତାବକୁ ସ୍ବୀକାର କରିନଥିଲେ୤

୫. ଗୁରୁଦ୍ବାରା ବେର୍ ସାହିବ - ସୁଲ୍‌ତାନପୁର ଲୋଦୀ (କପୁରଥାଲା), ଥରେ ଗୁରୁନାନକ ନିଜ ମିତ୍ର ମର୍ଦାନା ସହିତ ବେର୍ ନଦୀକୂଳରେ ବସିଥିବା ବେଳେ ଅଚାନକ ନଦୀ ମଧ୍ୟକୁ ଲମ୍ଫ ଦେଇ ପାଣିରେ ହଜି ଯାଇଥିଲେ୤ ତିନି ଦିନ ଯାଏଁ ତାଙ୍କର କୌଣସି ଖବର ନଥିଲା୤ ପରେ ସେ ଆବିର୍ଭାବ ହୋଇ ‘‘ଏକ୍ ଓଂକାର୍ ସତ୍‌ନାମ୍’’ର ବାର୍ତ୍ତା ଦେଇଥିଲେ୤ ସେ ନଦୀରେ ବୁଡ଼ିବା ପରେ ଭଗବାନଙ୍କ ଦର୍ଶନ ପାଇଥିବା କଥା କହିଥିଲେ୤ ସେହି ସ୍ଥାନରେ ସେ ଏକ ବେର୍ ମଞ୍ଜି ପୋତିଥିଲେ, ଯାହା ଆଜି ଏକ ବିଶାଳ ବୃକ୍ଷଭାବରେ ଶୋଭାପାଉଛି୤

୬. ଗୁରୁଦ୍ବାରା ଅଚଳ ସାହିବ - ଗୁରୁଦାସପୁର, ନିଜର ଭ୍ରମଣ କାଳରେ ଗୁରୁ ନାନକ ଏହିସ୍ଥାନରେ ଅବସ୍ଥାନ କରିଥିଲେ୤ ନାଥପନ୍ଥୀ ଯୋଗୀମାନଙ୍କ ପ୍ରମୁଖ ଯୋଗୀ ଭଙ୍ଗାରନାଥଙ୍କ ସହ ତାଙ୍କର ଅନେକ ଧାର୍ମିକ ବାଦବିବାଦ ହୋଇଥିଲା୤ ଯୋଗୀ ସବୁ ଉପାୟରେ ପରାସ୍ତ ହେବାପରେ ଯାଦୁ ପ୍ରଦର୍ଶନ କରିଥିଲେ୤ ନାନକ ଦେବ ତାଙ୍କୁ ଈଶ୍ବରଙ୍କ ନିକଟରେ କେବଳ ପ୍ରେମ ଦ୍ବାରା ହିଁ ପହଞ୍ଚାଯାଇ ପାରେ ବୋଲି କହିଥିଲେ୤

୭. ଗୁରୁଦ୍ବାରା ଡେରା ବାବା ନାନକ - ଗୁରୁଦାସପୁର, ଆଜୀବନ ଧାର୍ମିକ ଯାତ୍ରା କରି ଅନେକ ଲୋକଙ୍କୁ ଶିଖ୍ ଧର୍ମରେ ଦିକ୍ଷିତ କରାଇବା ପରେ ନାନକ ରାବୀ ନଦୀ କୂଳରେ ଥିବା ନିଜ ଚାଷକ୍ଷେତରେ ନିଜ ଡେରା ସ୍ଥାପନା କରିଥିଲେ୤ ଏଠାରେ ସେ ଏକ ସାଧାରଣ କୃଷକ ଭାବରେ ରହିଥିଲେ୤ ଦୀର୍ଘ ସତୁରୀ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସନ୍ ୧୫୩୯ରେ ସେ ଇହଧାମ ତ୍ୟାଗ କରିଥିଲେ୤
Share on Google Plus

About drjyotiprasad

    Blogger Comment
    Facebook Comment

0 comments:

Post a Comment