46f581dcf0d80cf7581ba6592af979bf022115dc

ଶ୍ରୀମନ୍ଦିର ବିଷୟରେ ଅବିଶ୍ବସନୀୟ ତଥ୍ୟ

Shri Mandira Puri, Courtesy : ODISHA SAMAYA
ହିନ୍ଦୁମାନଙ୍କ ପାଇଁ ବିଶ୍ବର ସବୁଠାରୁ ପବିତ୍ର ଧାମ ପୁରୀ ଶ୍ରୀଜଗନ୍ନାଥ ଧାମକୁ ନେଇ ଅନେକ ତଥ୍ୟ ଆଜିକାଲି ଫେସବୁକ୍ ଏବଂ ହ୍ବାଟସ୍‌ଆପ୍ ଭଳି ସୋସିଆଲ୍ ନେଟ୍‌ୱାର୍କିଂ ସାଇଟରେ ଜୋରଦାର ପ୍ରସାର କରାଯାଉଛି୤ ଏହାକୁ ଏକ ଗଣମାଧ୍ୟମରେ କାର୍ଯ୍ୟକ୍ରମ ଭାବରେ ପ୍ରଚାରିତ ମଧ୍ୟ କରାଯାଇଥିଲା୤ କିନ୍ତୁ ଏଥିରେ ଥିବା ତଥ୍ୟ କେତେ ସତ୍ୟ ତାହା ପରୀକ୍ଷାର ବିଷୟ୤
ବିଶ୍ବାସ ଯେତେବେଳେ ଆଖିବନ୍ଦ କରିଦେଇ କରାଯାଏ, ତାହାକୁ ହିଁ ଆମେ ଅନ୍ଧବିଶ୍ବାସ କହିଥାଉ୤ ବିଶ୍ବାସ କରିବା ଭୁଲ ନୁହେଁ, କିନ୍ତୁ ବିଶ୍ବାସକୁ ଅନ୍ଧଭାବରେ ସତ ବୋଲି ମାନିନେବା ଠିକ୍ ନୁହେଁ୤ ଆସନ୍ତୁ ଦେଖିବା ଏମିତି କିଛି ତଥ୍ୟ ଏବଂ ଏହାର ପ୍ରକୃତ ସତ୍ୟତା୤

୧. ଜଗନ୍ନାଥ ମନ୍ଦିରର ପ୍ରଥମ ଚମତ୍କାରିତା ହେଉଛି ପବନର ବିପରୀତ ଦିଗରେ ବଡ଼ଦେଉଳର ପତାକା ଉଡେ ।
ପବନ ଯେଉଁଦିଗକୁ ହୁଏ ଜିନିଷ ସବୁ ସେହି ଦିଗର ବିପରୀତ ଦିଗକୁ ଉଡ଼ନ୍ତି୤ ପବନ ପୂର୍ବରୁ ହେଲେ ଲୁଗାପଟା ପଶ୍ଚିମ ଆଡ଼କୁ ଉଡ଼େ୤ ଏଥିରେ ଚମତ୍କାରିତା କଣ ଅଛି? ଅବଶ୍ୟ ଯଦି ପତାକା ପୂର୍ବଦିଗରୁ ଆସୁଥିବା ପବନ ଆଡ଼କୁ ଉଡ଼ିଥାନ୍ତା ତା’ହେଲେ ଏହା ଅବିଶ୍ବସନୀୟ ହୋଇଥାନ୍ତା୤ ଏହି ତଥ୍ୟ କିଏ ଆବିଷ୍କାର କରିଥିଲେ ଏବଂ ସେ କଣ କହିବାକୁ ଚାହୁଁଛନ୍ତି ତାହା ନିର୍ମଳ ଭାବରେ ବୁଝାପଡୁନଥିବାରୁ ଏହାକୁ ଏକ ସରଳ ତଥ୍ୟ ବୋଲି ହିଁ ଧରିନେବା ଉଚିତ ହେବ୤

୨. ପ୍ରତିଦିନ ସନ୍ଧ୍ୟାରେ ବଡ଼ଦେଉଳର ପତାକା ଯେତେବେଳେ ପରିବର୍ତ୍ତନ କରାଯାଏ ସେତେବେଳେ ନିର୍ଦ୍ଦିଷ୍ଟ ସେବକ ବିପରୀତ ଦିଗରେ ବଡ଼ଦେଉଳ ଉପରକୁ ଚଢ଼ି ପତକା ବାନ୍ଧନ୍ତି ।
ଶ୍ରୀମନ୍ଦିରର ଉଚ୍ଚତା ଚାଳିଶି ମିଟରରୁ ଅଧିକ୤ ତେଣୁ ଏତେ ଉଚ୍ଚକୁ ଚଢ଼ିବା ବହୁତ କଷ୍ଟସାଧ୍ୟ୤ ପୁଣି ଭୂଇଁଠାରୁ ଉଚ୍ଚରେ ପବନର ବେଗ ଅଧିକ ଥାଏ୤ ତେଣୁ ପବନ ଆସୁଥିବା ଦିଗରେ ଯଦି କୌଣସି ସେବକ ମନ୍ଦିର ଉପରକୁ ଚଢ଼ିବାକୁ ଚେଷ୍ଟା କରିବ, ସେ ହୁଏତ ଉପରୁ ଖସି ପଡ଼ିବାର ଭୟ ଥିବ, ତେଣୁ ବିପରୀତ ଦିଗରେ ଉପରକୁ ଚଢ଼ନ୍ତି୤

୩. ବିଶ୍ୱର ଏହା ହେଉଛି ଏକ ମାତ୍ର ମନ୍ଦିର ଯାହାର ଛାଇ କେବେ ପ୍ରତିଫଳିତ ହୁଏନାହିଁ ।
ଶ୍ରୀମନ୍ଦିରକୁ ଆପଣ ଖରାବେଳେ ଯାଆନ୍ତୁ, ଦେଖିବେ ମନ୍ଦିରର ଗୋଟିଏ ପାଖରେ ଖରା ଥିବା ବେଳେ ଅପର ପକ୍ଷରେ ଛାଇ ଥିବ୤ କିନ୍ତୁ ମନ୍ଦିରର ବେଢ଼ା ଏତେ ବିସ୍ତ୍ରୁତ ଯେ ମନ୍ଦିରର ଛାଇ ବେଢ଼ା ପାରକରି ବାହାରକୁ ଯାଏନାହିଁ, ତେଣୁ କେହି ଏହାର ଛାଇ ଦେଖିନଥିବା କଥା କହନ୍ତି୤ କିନ୍ତୁ ଏହା ମିଥ୍ୟା୤ କାରଣ ସୂର୍ଯ୍ୟକିରଣ ସମ୍ମୁଖରେ ଆସୁଥିବା ପ୍ରତ୍ୟେକ ଜିନିଷ ନିଶ୍ଚୟ ଛାଇ ସୃଷ୍ଟି କରିବ୤
Shadow of Temple and Flags seen here. Neelchakra is bent and not seen upfront.

୪. ଶ୍ରୀମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରେ ଛିଡ଼ାହୋଇ ଦେଖିଲେ ମଧ୍ୟ ତାହା ଆପଣ ସାମ୍ନାରେ ଛିଡ଼ା ହୋଇ ଦେଖିବା ଭଳି ଲାଗିବ୤
ଆଗକାଳରେ ଯେତେବେଳେ ପୁରୀରେ ଅନେକ ସୁଉଚ୍ଚ ଅଟ୍ଟାଳିକା ନଥିଲା ସେତେବେଳେ ଶ୍ରୀମନ୍ଦିରକୁ ସବୁ ଦିଗରୁ ଦେଖି ହେଉଥିଲା୤ ହେଲେ ଆଜିକାଲି ଦେଖିବା ସମ୍ଭବ ନାହିଁ୤ ସେ ଯାହେଉ, ଯେହେତୁ ନୀଳଚକ୍ର ସମତଳ ଆକାରର ତେଣୁ ଏହା ମାତ୍ର କେଇ ଡିଗ୍ରୀ କୋଣ ପର୍ଯ୍ୟନ୍ତ ଦେଖାଯିବ, ଏବଂ ଏହାପରେ ଏହାକୁ ସଠିକ ଭାବରେ ଦେଖିବା ସମ୍ଭବ ନୁହେଁ୤ ପରୀକ୍ଷା କରିବାପାଇଁ ଗୋଟିଏ ଟଙ୍କିକିଆ ମୁଦ୍ରାକୁ ହାତରେ ଧରି ଚାରିପାଖରୁ ଦେଖିବାକୁ ଚେଷ୍ଟା କରନ୍ତୁ୤

୫. ପୁରୀରେ ସମୁଦ୍ରର ପବନ ଦିନରେ ଗୋଟେ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଏହାର ଠିକ୍ ଓଲଟା ଦିଗରେ ଗତିକରେ୤
ଏହା ସାଧାରଣ ବିଜ୍ଞାନର ତଥ୍ୟ୤ ଦିନବେଳେ ଖରାତାପରେ ସ୍ଥଳଭାଗ ଶୀଘ୍ର ଗରମ ହେବାଦ୍ବାରା ପବନ ସମୁଦ୍ର ଆଡ଼କୁ ଗତିକରେ୤ ରାତିରେ ସମୁଦ୍ରର ଜଳ ସ୍ଥଳଭାଗ ଅପେକ୍ଷା ଅଧିକ ଗରମ ଥିବା ହେତୁ ସନ୍ଧ୍ୟାପରେ ପବନ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତିକରେ୤

୬. ପୁରୀ ଶ୍ରୀମନ୍ଦିର ଉପରେ ବିମାନ ଉଡ଼ନ୍ତି ନାହିଁ୤
ବିଶ୍ବର ଅନେକ ସୁଉଚ୍ଚ ଅଟ୍ଟାଳିକାକୁ ବିମାନ ଉଡ଼ିବାପାଇଁ ମନା କରାଯାଇଛି, ଶ୍ରୀମନ୍ଦିର ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଅଟ୍ଟାଳିକା ହୋଇଥିବାରୁ ଏହା ଉପର ଦେଇ ବିମାନ ଯାତ୍ରା କରିବାକୁ ବାରଣ କରାଯାଇଛି୤

୭. ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ କେବେ ଉଡନ୍ତିନି ।
ଏହାର ଅନେକ କାରଣ ହୋଇପାରେ୤ ପ୍ରଥମତଃ ମନ୍ଦିର ବହୁତ ଉଚ୍ଚ ଏବଂ ଏହାର ଆଖପାଖରେ ଏତିକି ସମକକ୍ଷ ଉଚ୍ଚତାର କୌଣସି ବୃକ୍ଷନାହିଁ୤ ତେଣୁ ପକ୍ଷୀମାନେ ମନ୍ଦିରରେ ରହିବାକୁ ପସନ୍ଦ କରିନଥିବେ୤ କାରଣ ଅଧିକାଂଶ ମନ୍ଦିର ଚତୁର୍ପାଶ୍ବରେ ବଡ଼ ଓ ଉଚ୍ଚ ଗଛମାନ ରହିଥାଏ, ତେଣୁ ପକ୍ଷୀମାନଙ୍କୁ ରହିବାକୁ ଭଲ ଲାଗେ୤ ଆଉ ଗୋଟିଏ କାରଣ ହେଉଛି, ଜଗନ୍ନାଥ ମନ୍ଦିରରେ ପକ୍ଷୀମାନେ ଖାଇବା ଯୋଗ୍ୟ କୌଣସି ପଦାର୍ଥ ମିଳିନଥାଏ୤ ଶସ୍ୟ ବା ଖୁଦ ଆଦି ପ୍ରକାରର ଦ୍ରବ୍ୟ ମିଳୁନଥିବାରୁ ପକ୍ଷୀମାନେ ମନ୍ଦିରରେ ରହନ୍ତି ନାହିଁ୤

୮. ଶ୍ରୀମନ୍ଦିରରେ ହଜାରେ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାକୁ ଲକ୍ଷେ ଲୋକ ପେଟପୂରା ଖାଇପାରନ୍ତି ।
ଏହା କେହି କେବେ ପରୀକ୍ଷା କରି ଦେଖିଛନ୍ତି କି ନାହିଁ କହି ହେବନି୤ କିନ୍ତୁ ଏହା କେମିତି ସମ୍ଭବ ହେବ ତାହା ବି ଚିନ୍ତା କରିବା କଥା୤ ହଁ ଶହେ ଜଣଙ୍କ ପାଇଁ ରୋଷେଇ କରିଥିଲେ ଆଉ ଦଶ କୋଡ଼ିଏ ଅଧିକ ଲୋକ ହେଲେ ଚଳେଇ ନେଇହେବ, କିନ୍ତୁ ହଜାର ଲୋକଙ୍କ ପାଇଁ ଥିବା ଖାଦ୍ୟ ଲକ୍ଷେ ଲୋକ କେମିତି ଖାଇବେ ?

୯. ସମଗ୍ର ପୁରୀରେ ସମୁଦ୍ରର ଗର୍ଜ୍ଜନ ଶୁଭାଯାଉଥିଲେ ମଧ୍ୟ ସିଂହଦ୍ୱାରରେ ପାଦ ଦେବାକ୍ଷଣି ସମୁଦ୍ରର ଗର୍ଜ୍ଜନ ଆଉ ଶୁଭେନାହିଁ ।
ପୁରୀରେ ସମୁଦ୍ରର ଗର୍ଜନ ଆଉ ଶୁଣାଯାଉନାହିଁ୤ ସବୁଆଡ଼େ ସୁଉଚ୍ଚ ଅଟ୍ଟାଳିକା ଥିବା ହେତୁ ସମୁଦ୍ରର ଶବ୍ଦ ସହର ମଧ୍ୟକୁ ଆସିବା ଅସମ୍ଭବ୤ ହୁଏତ ଶତାବ୍ଦୀଏ ପୂର୍ବରୁ ଏହା ହୋଇଥିବ, କିନ୍ତୁ ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜନଗହଳି ଓ ଭକ୍ତଙ୍କ ଆଗମନ ହେତୁ ଲୋକମାନେ ସମୁଦ୍ରର ଗର୍ଜନକୁ ଶୁଣିବା ଭୁଲିଯାଇଥିବେ୤ ଏହା ମନସ୍ତତ୍ତ୍ବବିଦଙ୍କ ମତରେ ସମସ୍ତ ମନୁଷ୍ୟଙ୍କ ଠାରେ ଦେଖାଯାଏ୤ ବେଳେ ବେଳେ ଜନଗହଳିରେ ଥାଇମଧ୍ୟ ଆମେ କେବଳ ଜଣେ ବ୍ୟକ୍ତିଙ୍କର କିମ୍ବା ଗୁରୁତ୍ବପୂର୍ଣ୍ଣ କଥା କିଛି ଶୁଣିପାରୁ୤ ମନ୍ଦିରରେ ପ୍ରବେଶକରିବା ସମୟରେ ଧ୍ୟାନ ମନ୍ଦିରର ଗହଳି ଓ ଭକ୍ତଙ୍କ ଯାତାୟାତରେ ଲାଗିଯିବାପରେ ଶବ୍ଦ ଶୁଣାଯାଉନଥିବ୤

ଆହୁରି ଅନେକ ତଥ୍ୟ ପ୍ରଚାର କରାଯାଉଛି୤ ଅବଶ୍ୟ ଏହାଦ୍ବାରା ଆମ ମାନଙ୍କ ମଧ୍ୟରେ ଥିବା ଜଗନ୍ନାଥ ପ୍ରେମ ଦେଖିହେଉଛି, କିନ୍ତୁ ସବୁ ତଥ୍ୟ ସତ୍ୟ ନୁହେଁ୤ ତେଣୁ କେବଳ ସତ୍ୟ ଦ୍ବାରା ହିଁ ଆମେ ଶ୍ରୀମନ୍ଦିରର ମହନୀୟତା ଦେଖାଇପାରିବା୤
Share on Google Plus

About drjyotiprasad

    Blogger Comment
    Facebook Comment

0 comments:

Post a Comment